ବିଏଫ୍ଆଇ ବିବାଦରେ ଖେଳାଳି ହନ୍ତସନ୍ତ: ପ୍ରତିଯୋଗିତା ଆୟୋଜନ ନେଇ ଜାରି ରହିଛି ଦ୍ବନ୍ଦ୍ବ
ଭୁବନେଶ୍ବର: ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍ଆଇ)ଏକପ୍ରକାର ଦୁଇଫାଳ ହୋଇଛି। ସଭାପତି ଅଜୟ ସିଂହଙ୍କୁ ଗୋଟିଏ ଗୋଷ୍ଠୀ ସମର୍ଥନ କରୁଥିଲା ବେଳେ ଅନ୍ୟଗୋଷ୍ଠୀ ମହାସଚିବ ହେମନ୍ତ କଳିତାଙ୍କ ପଟରେ ରହିଛନ୍ତି। ମହାସଂଘ ତାର ୱେବ୍ସାଇଟ୍ ସହ ଇନ୍ଷ୍ଟାଗ୍ରାମ୍ରେ ଉତ୍ତରପ୍ରଦେଶର ନୋଏଡାସ୍ଥିତ ଗୌତମ ବୁଦ୍ଧ ବିଶ୍ବବିଦ୍ୟାଳୟଠାରେ ଚଳିତମାସ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଅଷ୍ଟମ ଜାତୀୟ ଏଲିଟ୍ ମହିଳା ବକ୍ସିଂ ଚାମ୍ପିଅନସିପ୍ ଆୟୋଜିତ ହେବ ବୋଲି ଘୋଷଣା କରିଛି। ଏପରିକି ଏହି ପ୍ରତିଯୋଗିତା ସ୍ଥଗିତ ରହିବା ନେଇ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କରିବାକୁ ଯାଇ ୱେବ୍ସାଇଟ୍ରେ ପୂର୍ବନିର୍ଦ୍ଧାରିତ ତାରିଖରେ ଜାତୀୟ ଏଲିଟ୍ ମହିଳା ବକ୍ସିଂ ଚାମ୍ପିଅନସିପ୍ ଆୟୋଜିତ ହେବ ଏବଂ ଏହା ବାତିଲ କିମ୍ବା ସ୍ଥଗିତ ହୋଇନାହିଁ ବୋଲି ସ୍ପଷ୍ଟ କରିଛି। ହେଲେ ଓଡ଼ିଶା ଆମେଚର ବକ୍ସିଂ ସଂଘ (ଓଏବିଏ) ସହ ଆଉ କିଛି ସଂଘ ପ୍ରତିଯୋଗିତାକୁ ସ୍ଥଗିତ କରିବାକୁ ଦାବି କରି ବିଏଫ୍ଆଇକୁ ପତ୍ର ଲେଖିଛନ୍ତି। ଏହାକୁ ଆଳ କରି ବିଏଫ୍ଆଇ ଆନୁଷ୍ଠାନିକ ଘୋଷଣା କରି ନଥିଲେ ମଧ୍ୟ ଉକ୍ତ ପ୍ରତିଯୋଗିତା ସ୍ଥଗିତ କରିବ ବୋଲି ଦାବି କରୁଛି। ଏଣୁ ଖେଳାଳି ପଠାଇବାର ଆବଶ୍ୟକତା ନାହିଁ ବୋଲି ଜଣେ ସଦସ୍ୟ କହିଛନ୍ତି।