ଭୁବନେଶ୍ବରରୁ କଟକ: ଗଡ଼ିବ ମେଟ୍ରୋ, ନୂଆ ଡିପିଆର୍ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର
ଭୁବନେଶ୍ବର: ମେଟ୍ରୋ ପ୍ରକଳ୍ପ ବାତିଲ୍ ହେବ ନାହିଁ। ବରଂ ଡିପିଆର୍ ବଦଳିବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏଁ ମେଟ୍ରୋ ଦୌଡ଼ିବ। କଟକର ମୁଖ୍ୟ ବସ୍ଷ୍ଟାଣ୍ଡ, ରେଳଷ୍ଟେସନ ସମେତ ଏସ୍ସିବି ମେଡିକାଲ କଲେଜକୁ ବି ଛୁଇଁବ ମେଟ୍ରୋ। ପାଖାପାଖି ୪ ମାସ ହେଲା ବନ୍ଦ ରହିଥିବା ମେଟ୍ରୋ ପ୍ରକଳ୍ପ କାମକୁ ନେଇ ଆଶଙ୍କା ପ୍ରକାଶ ପରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଏଭଳି ସୂଚନା ଦେଇଛନ୍ତି।
ନୂଆ ଡିପିଆର୍ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର
ପ୍ରକଳ୍ପ ଅନୁଧ୍ୟାନ କରିବାକୁ ଉଚ୍ଚସ୍ତରୀୟ କମିଟି ଗଠିତ
ଟେଣ୍ଡର୍ ମାଧ୍ୟମରେ ୫ କମ୍ପାନିଙ୍କୁ ଦିଆଯାଇଛି କାମ
ପ୍ରକଳ୍ପର ବିସ୍ତୃତି ସମ୍ପର୍କରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ସମୟରେ ମେଟ୍ରୋ ପ୍ରକଳ୍ପର ଅଧିକ ଆବଶ୍ୟକତା ରହିଛି। ପୂର୍ବ ସରକାର କେବଳ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପରିକଳ୍ପନା କରିଥିଲେ। ମାତ୍ର ମେଟ୍ରୋରେ ଯାଉଥିବା ଲୋକେ ତ୍ରିଶୁଳିଆରେ ପହଞ୍ଚି କ’ଣ କରିବେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ଯେହେତୁ ଯାତ୍ରୀମାନଙ୍କୁ କଟକ ଯାଏଁ ଯିବାର ଅଛି ତେଣୁ ପ୍ରକଳ୍ପର ପରିଧି ବୃଦ୍ଧି ଉପରେ ଉଚ୍ଚ ସ୍ତରୀୟ କମିଟି ଅନୁଧ୍ୟାନ କରୁଛି। କମିଟିରେ ବୈଷୟିକ ଜ୍ଞାନ ଥିବା ବ୍ୟକ୍ତିବିଶେଷଙ୍କୁ ରଖାଯାଇଛି। ଏହି କମିଟି ଏବେ ସର୍ଭେ କରୁଛି। କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେନେଇ କମିଟି ତର୍ଜମା କରୁଛି। ଏହାର ପରିଧିକୁ ବିସ୍ତୃତ କରିବାକୁ ଯୋଜନା ହେଉଛି। ଏଥିସହ ନନ୍ଦନକାନନ ରୋଡ୍ରେ ତିନିଥାକିଆ ରାସ୍ତା ହେବ। ମେଟ୍ରୋ ପ୍ରକଳ୍ପ ପାଇଁ ଆଜି ସୁଦ୍ଧା ରାଜ୍ୟ ସରକାର ୩୯୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍କୁ ଫି’ ଓ ବିବିଧ ଖର୍ଚ୍ଚ ବାବଦରେ ଏହି ଟଙ୍କା ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି।
ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅନ୍ୟ ଏକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ଏହି ପ୍ରକଳ୍ପର ସମସ୍ତ ଦିଗକୁ ଅନୁଧ୍ୟାନ କରିବା ଏବଂ ସୁଦୃଢ଼ୀକରଣ କରିବାକୁ ବୈଷୟିକ ପରାମର୍ଶଦାତାଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯାଉଛି। ଡିପୋ ଚାରିକଡ଼େ ପାଚେରି ପାଇଁ ଅନୁଷ୍ଠିତ ହୋଇଥିବା ବିଡ୍ରେ ୩ଟି କମ୍ପାନି ଭାଗ ନେଇଥିଲେ। ମେସସ୍ ଲିସା ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍କୁ ସବୁଠାରୁ କମ୍ ୮ କୋଟି ୭୦ ଲକ୍ଷ ଟଙ୍କାରେ ୨୦୨୩ ଫେବ୍ରୁଆରି ୨୩ରେ ଟେଣ୍ଡର୍ ପ୍ରଦାନ କରାଯାଇଛି। ରତାଗଡ଼-ଲେଙ୍କାସାହିରେ ହେବାକୁ ଥିବା ମେଟ୍ରୋ ଡିପୋର ଆନୁମାନିକ ଟେଣ୍ଡର ମୂଲ୍ୟ ୧୦୪ କୋଟି ୭୪ ଲକ୍ଷ ଟଙ୍କା ରଖାଯାଇଥିଲା। ଏଥିପାଇଁ ୨୨ଟି ବିଡର୍ ଭାଗ ନେଇଥିବା ବେଳେ ୧୦ଟି ସଂସ୍ଥା ଯୋଗ୍ୟ ବିବେଚିତ ହୋଇଥିଲେ। ସେଥିମଧ୍ୟରୁ ଏମ୍ଆଇଏ କନ୍ଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ୭୯ କୋଟି ୭୫ ଟଙ୍କାରେ ଟେଣ୍ଡର ନେଇଛି।