ଧୋନିଙ୍କ ଆଇପିଏଲ୍ ଅବସୋସ: ଧନ୍ୟବାଦ ଦେଲେ ଅଶ୍ବିନ
ଚେନ୍ନାଇ: କ୍ୟାପଟେନ୍ କୁଲ୍ ଧୋନି କ୍ବଚିତ ରାଗନ୍ତି। ପଡ଼ିଆ ଭିତରେ ତ ନିଜ ଭାବନାକୁ ସେ ଆଦୌ ବ୍ୟକ୍ତ କରନ୍ତିନି। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ବରଫ ଭଳି ଶାନ୍ତ ରହିଥା’ନ୍ତି। ହେଲେ ଆଇପିଏଲ୍ର ଏକ ମ୍ୟାଚ୍ ବେଳେ ଧୋନିଙ୍କ ଉଗ୍ର ରୂପ ସମସ୍ତଙ୍କୁ ବିସ୍ମିତ କରିଥିଲା। ଏପରିକି ସେ ହଠାତ୍ ପଡ଼ିଆ ଭିତରକୁ ପଶି ଅମ୍ପାୟାରଙ୍କ ସହ ଢେର୍ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ କରିବାକୁ ପ୍ରଶଂସକଙ୍କ ସହ ସମଗ୍ର କ୍ରିକେଟ୍ ଜଗତ ସହଜରେ ଗ୍ରହଣ କରି ନଥିଲା। ଏବେ ଧୋନି ସେହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ଆଚରଣ ପ୍ରଦର୍ଶନ କରିବାକୁ ନିଜ ଆଇପିଏଲ୍ କ୍ୟାରିୟରର ସବୁଠୁ ବଡ଼ ଅବସୋସ୍ ଭାବେ ବର୍ଣ୍ଣନା କରିଛନ୍ତି ସେ। ଏହି ବିତର୍କିତ ଘଟଣା ଆଇପିଏଲ୍ର ୨୦୧୯ ଋତୁରେ ଘଟିଥିଲା। ଚେନ୍ନାଇ ସୁପରକିଙ୍ଗ୍ସ-ରାଜସ୍ଥାନ ରୟାଲ୍ସ ଲିଗ୍ ମ୍ୟାଚ୍ ତୀବ୍ର ସଂଘର୍ଷପୂର୍ଣ୍ଣ ମୋଡ଼ରେ ଥିଲା। ଶେଷ ଓଭରରୁ ବିଜୟ ପାଇଁ ୧୮ ରନ୍ ଦରକାର ଥିଲା ବେଳେ ଚେନ୍ନାଇର ତତ୍କାଳୀନ ଅଧିନାୟକ ଧୋନିଙ୍କୁ ତୃତୀୟ ବଲ୍ରେ ଶିକାର କରି ନେଇଥିଲେ ରାଜସ୍ଥାନର ଇଂଲିସ୍ ବୋଲର୍ ବେନ୍ ଷ୍ଟୋକ୍ସ। ପରବର୍ତ୍ତୀ ବଲ୍ ଅଣ୍ଟା ଉଚ୍ଚରେ ଥିଲା ବେଳେ ଫିଲ୍ଡ ଅମ୍ପାୟାର ଉଲ୍ଲାସ ଗାନ୍ଧୀ ପ୍ରଥମେ ଏହାକୁ ନୋ’ ବଲ୍ ଡାକିଥିଲେ। ହେଲେ ଲେଗ୍ ଅମ୍ପାୟାର ବ୍ରୁସ୍ ଅକ୍ସେନଫୋର୍ଡ ଏହାକୁ ନାକଚ କରି ଦେଇଥିଲେ। ଏହା ଦେଖି ଧୋନି ଡଗଆଉଟ୍ରୁ ବାହାରି ଉଭୟ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। ହେଲେ ଅମ୍ପାୟାର ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ଅବଶ୍ୟ ମିଚେଲ ସାଣ୍ଟନରଙ୍କ ଶେଷ ବଲ୍ ଛକାରେ ଚେନ୍ନାଇ ଏହି ତୀବ୍ର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍କୁ ଜିତି ନେଇଥିଲା। ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସହ ଆଲୋଚନା କରି ଏହାକୁ ଏକ ମସ୍ତବଡ଼ ଭୁଲ୍ ଭାବେ ବର୍ଣ୍ଣନା କରିଛନ୍ତି ମାହି।